ମସଜିଦରେ ବିସ୍ଫୋରଣ: ୨୧ ଜଣ ମୃତ, ୬୦ ଜଣ ଆହତ

ନୂଆଦିଲ୍ଲୀ,୧୮/୮: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଥିବା ସୂଚନା ରହିଛି । ସୂଚନାଯୋଗ୍ୟ ଯେ ଲୋକମାନେ ନମାଜ ପାଠ କରୁଥିବାବେଳେ ମସଜିଦରେ ବିସ୍ଫୋରଣ ଘଟିଥିଲା । କାବୁଲର ପିଡି-୧୭ରେ ଥିବା ଏକ ମସଜିଦରେ ଏହି ବୋମା ବିସ୍ଫୋରଣ ହୋଇଛି । ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ନେଇଛନ୍ତି । ବୋମା ବିସ୍ଫୋରଣ ମାମଲାରେ ଅନେକ ଛୋଟ ଛୁଆ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି । ମସଜିଦରେ ହୋଇଥିବା ଏହି ବୋମା ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ଦାୟୀ କରିନାହାନ୍ତି । କାବୁଲରେ ଅଧିକାଂଶ ସମୟରେ ଏଭଳି ଭୟାନକ ଆତ୍ମଘାତି ବିସ୍ଫୋରଣ ହେଉଥିବା ଗଣମାଧ୍ୟମରୁ ସୂଚନା ମିଳୁଛି ।