ଅକ୍ଟୋବେର-ନଭେମ୍ବର ମାସ ପୂଜା ପାଇଁ ବିଏମସି ଜାରି କଲା ଗାଇଡଲାଇନ, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୧୯/୧୦: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିପଦ ଟଳିନି । ତେଣୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଏହାରିମଧ୍ୟରେ ଅକ୍ଟୋବର-ନଭେମ୍ବର ମାସର ପୂଜା ପାର୍ବଣକୁ ନେଇ ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ପୂଜା ପାଇଁ ସାଧାରଣରେ ଏକାଠି ହେବା ପାଇଁ ଅନୁମତି ନାହିଁ । କୋଭିଡ୍ କଟକଣା ସହ ପୂଜା ମଣ୍ଡପରେ ପାଳନ ହୋଇପାରିବ ଲକ୍ଷ୍ମୀ ପୂଜା ଓ କାଳୀ ପୂଜା । କିନ୍ତୁ ଜନସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ । ଏହାସହ ସାମାଜିକ ଦୂରତା, ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯିବ । ପେଣ୍ଡାଲରେ ପୂଜା କରିବା ପାଇଁ ଅନୁମତି ନେବାକୁ ପଡିବ । ସେହିପରି ପେଣ୍ଡାଲରେ ପୂଜାବେଳେ ୩ ପାଖ ଆବଦ୍ଧ ହେବ ଓ ସାମ୍ନା ପାଖରେ ମଧ୍ୟ ବନ୍ଦ ରହିବ କିନ୍ତୁ ମାତ୍ର ପୂଜକ ଓ ରୀତିନୀତ ପାଇଁ ବାଟ ରହିବ ବୋଲି ସୂଚନା ମିଳିଛି । ମୂର୍ତ୍ତିର ଉଚ୍ଚତା ୪ ଫୁଟର କମ ରହିବ ଓ ପେଣ୍ଡାଲରେ ୭ ଜଣରୁ ଅଧିକ ଜଣ ରହିବା ଉପରେ କଟକଣା ଲାଗୁ କରାଯାଇଛି । ମଣ୍ଡପ କର୍ତ୍ତୁପକ୍ଷ ସମସ୍ତେ ଟିକା ନେଇଥିବା ଆବଶ୍ୟକ କରାଯାଇଥିବା ବେଳେ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ । କୃତ୍ରିମ ପୋଖରୀରେ ବିସର୍ଜନ କରାଯିବ ।