ବିଏମସି ପାଇଁ ୪୧୬ଟି ଅତିରିକ୍ତ ନୂତନ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫/୦୮: ବି.ଏମ୍.ସିକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ବି.ଏମ୍.ସି ରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଲା। ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଅତିରିକ୍ତ କମିଶନର ପଦବୀ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଅତିରିକ୍ତ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି। ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ, ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ, ସମୁଦାୟ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି। ଏହିପରି ବିଭିନ୍ନ ବିଭାଗ ରେ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି।