ଭୁବନେଶ୍ୱର,୧୪/୦୨: ଫେବ୍ରୁଆରୀ ୧୪ ତାରିଖ ଭାରତ ପାଇଁ କଳା ଦିନ । ୪୦ ବୀରଯବାନଙ୍କ ପାଇଁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ । ଆଜି ସେହି ଦିନ, ଗୋଟିଏ ପଟେ ସାରା ଦେଶ ପ୍ରେମ ସପ୍ତାହ ପାଳୁଥିବା ବେଳେ ଅନ୍ୟପଟେ ରକ୍ତର ହୋଲି ଖେଳ ଚାଲିଥିଲା । ପ୍ରେମ ସପ୍ତାହରେ ଛାତି ଥରାଇ ଦେଇଥିଲା ପୁଲଓ୍ବାମାର ଆତ୍ମଘାତୀ ଆକ୍ରମଣ । ଆତଙ୍କୀଙ୍କ ଆଇଇଡି ବିସ୍ଫୋରଣରେ ପ୍ରାଣବଳୀ ଦେଇଥିଲେ ୪୦ ବୀର ଯବାନ । ଆଜି ପୁଲଓ୍ବାମା ଆକ୍ରମଣକୁ ଠିକ୍ ୬ ବର୍ଷ ପୁରୁଛି । ସିଆରପିଏଫର ସହିଦ ବୀର ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ସାରା ଦେଶ ।
ସୂଚନାଯୋଗ୍ୟ ଯେ ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖରେ ଏହି ଛାତିଖରା ଘଟଣା ଘଟିଥିଲା । ୨୫୦୦ ଯବାନଙ୍କୁ ନେଇ ସିଆର୍ପିଏଫ୍ର ୭୦ ଗାଡ଼ିର ଏକ କନଭୟ ଜମ୍ମୁରୁ ଶ୍ରୀନଗର ଯାଉଥିଲା। ଭୋର୍ ୩ଟା ୩୦ରୁ ଏହି ବସ୍ଗୁଡ଼ିକ ଶ୍ରୀନଗର ଅଭିମୁଖେ ବାହାରିଥିଲା। ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବାର ଥିଲା। ହେଲେ ପୁଲଓ୍ୱାମା ନିକଟରେ ଆତଙ୍କବାଦୀମାନେ ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିଲେ । ଏକ ଆଇଇଡି ଭର୍ତ୍ତି କାର୍ ଯବାନଙ୍କ କନଭୟ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୪୦ ଯବାନ ସହିଦ ହୋଇଥିଲେ ।