ଗୁଜରାଟରେ ଖାଲି ପଡ଼ିଛି ମୁଖ୍ୟମନ୍ତ୍ରୀ ପଦ, ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ, ୧୨/୯: ଆଜି ଗୁଜରାଟ ରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଅପରାହ୍ନ ୨ଟାରେ ବିଜେପି ବିଧାୟକ ଦଳ ବୈଠକ ବସିବ । ବିଧାୟକ ଦଳ ବୈଠକର ପର୍ଯ୍ୟବେକ୍ଷକ ହେବେ ୨ କେନ୍ଦ୍ର ମନ୍ତ୍ରୀ । ନରେନ୍ଦ୍ର ସିଂହ ତୋମର ଓ ପ୍ରହ୍ଲାଦ ଯୋଶୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । ସୂଚାନଯୋଗ୍ୟ ଯେ ଗତକାଲି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଜୟ ରୁପାଣୀ । ଏହାପରେ ମୁଖ୍ୟମନ୍ତ୍ରୀ ପଦ ଖାଲି ରହିଛି।

ବିଜୟ ରୁପାଣୀ ଗତକାଲି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ମଧ୍ୟ କରିଥିଲେ ବିଜୟ ରୁପାଣୀ । ଏହାପରେ ସେ ପ୍ରତିକ୍ରିୟା ରଖି କହିଥିଲେ ଯେ ଦଳରେ ଏହା ଏକ ସ୍ବାଭାବିକ ପ୍ରକ୍ରିୟା । ଦଳର ସାଙ୍ଗଠନିକ କ୍ଷେତ୍ରରେ ଏମିତି ଅଦଳବଦଳ ହୋଇଥାଏ । ଇସ୍ତଫା ଦେଇଥିଲେ ମଧ୍ୟ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧୀନରେ କାମ କରିବା ଜାରି ରଖିବେ ବୋଲି କହିଥିଲେ । ତେବେ ରୁପାଣୀ କାହିଁକି ଇସ୍ତଫା ଦେଇଥିଲେ ତାହା ସ୍ପଷ୍ଟ କରିନଥିଲେ।