ବିଜେଡ଼ି@୨୬, ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ ଋଣୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୬/୧୨: ବିଜେଡିର ୨୬ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି। ପୁରୀଠାରେ ଆୟୋଜିତ ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ। ଓଡ଼ିଶାରେ ମାଆମାନଙ୍କୁ ମିଶନଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି। ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଯାଏ ରହିବ। ମା’ମାନେ ଆସନ୍ତୁ ଓ ଓଡ଼ିଶାର ଦାୟିତ୍ବ ନିଅନ୍ତୁ।ସେ ଆହୁରି କହିଛନ୍ତି, ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରନ୍ତୁ। ଓଡ଼ିଶା ଅତୀତରେ କେଉଁଠି ଥିଲା ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି, ତାହା ସାରା ବିଶ୍ବ ଜାଣିଛି। ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦୋଳନ। ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମହିଳା ସଶକ୍ତିକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଆସୁଛି। ଓଡ଼ିଶାବାସୀ ଦୀର୍ଘ ବର୍ଷ ହେବ ଆମକୁ ସେବା କରିବାକୁ ସୁଯାେଗ ଦେଇଛନ୍ତି।