ଭୁବନେଶ୍ୱର,୪/୦୧ : ଜାନୁଆରି ୧୭ ଓ ୧୮ ତାରିଖରେ ସାରା ରାଜ୍ୟରେ ପକ୍ଷୀ ଗଣନା ଅନୁଷ୍ଠିତ ହେବ। ପକ୍ଷୀ ଗଣନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହ ବର୍ଷକ ମଧ୍ୟରେ ୧୦ଟି ବିଦେଶାଗତ ପ୍ରଜାତିଙ୍କଠାରେ ସାଟେଲାଇଟ୍ ରିଂ ଲଗାଯିବ। ସେମାନେ କେଉଁଠାରୁ ଆସୁଛନ୍ତି, ପ୍ରତିବର୍ଷ ଆସୁଛନ୍ତି କି ନାହିଁ, କେତେ ବାଟ ପର୍ଯ୍ୟନ୍ତ ଯାଉଛନ୍ତି ଆଦି ଅନୁଧ୍ୟାନ କରିବାକୁ ଏହି ରିଂ ଲାଗିବ। ପ୍ରଥମ ପର୍ଯ୍ୟାୟରେ ପକ୍ଷୀ ଗଣନା ସମୟରେ ୨ରୁ ୪ଟି ପ୍ରଜାତି ପକ୍ଷୀଙ୍କଠାରେ ଏହି ରିଂ ଲଗାଇବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଦେଇଥିବା ବେଳେ ଡବ୍ଲୁଆଇଆଇର ସହଯୋଗ ନିଆଯାଇଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଗୋଟିଏ ସମୟରେ ରାଜ୍ୟର ପ୍ରମୁଖ ଜଳାଶୟଗୁଡ଼ିକରେ ଏହି ଗଣନା କରାଯିବ। ଚିଲିକା, ନଳବଣ, ଭିତରକନିକା, ଅଂଶୁପା, ହୀରାକୁଦ ପରି ପ୍ରମୁଖ ଜଳାଶୟରେ ଗଣନା ହେବ। ଏଥର ୩ ପ୍ରକାର ପକ୍ଷୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କଠାରେ ରିଂ ଲାଗିବ। ପର୍ଯ୍ୟାୟକ୍ରମେ ବର୍ଷକ ମଧ୍ୟରେ ୧୦ଟି ପ୍ରଜାତିର ପକ୍ଷୀଙ୍କଠାରେ ସାଟେଲାଇଟ୍ କଲର୍ ଲଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି।