କଟକ,୧୨/୧୧: ଓଡ଼ିଶା ଏବଂ ବିହାର ସରକାରର ପରିବହନ ବିଭାଗ ପ୍ରାୟ ୨୧୮୬୭ କିଲୋମିଟର ଅତିକ୍ରମ କରୁଥିବା ୩୩ଟି ରୁଟରେ ବସ ଚଳାଚଳର ଚୁକ୍ତିକୁ ନବୀକରଣ କରିଛନ୍ତି। ଝାରଖଣ୍ଡ ଦେଇ ୩୩ଟି ରୁଟରେ ଏସବୁ ବସ୍ ଚଳାଚଳ କରିବ। ଏହି ନୂତନ ଚୁକ୍ତି ଫଳରେ ବିହାରର ପାଟନା, ସରିଫ, ପ୍ରେଓଗର, ଗୟା, ଔରଙ୍ଗାବାଦ, ଦରଭଙ୍ଗା, ରାଜଗିର, ଭାଗଲପୁର, ବକ୍ସର୍, ସିୱାନ୍, ଆରା, ହାଜିପୁର, ଚାପରା ନୱାଡା ଏବଂ ଓଡ଼ିଶାର ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ବର, ରାଉରକେଲା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନର ଲୋକେ ଅଧିକ ଲାଭବାନ ହେବେ। ଆଗରୁ ୧୫ଟି ରୁଟରେ ୯୨୭୬ କିଲୋମିଟର ଅତିକ୍ରମ କରି ବସ ଚଳାଚଳ ହେଉଥିଲା।
ଏନେଇ ରାଜ୍ୟ ପରିବହନ ପ୍ରାଧିକରଣର ସଚିବ ବ୍ରଜବନ୍ଧୁ ଭୋଳ କହିଛନ୍ତି, ନୂତନ ଚୁକ୍ତିନାମା ଅନୁଯାୟୀ ଓଡ଼ିଶା ବସ୍ ବିହାରରେ ୧୭୬୧୧ କିଲୋମିଟର ଅତିକ୍ରମ କରିବ ଏବଂ ବିହାର ବସ୍ ଓଡ଼ିଶାରେ ୮୭୮୪ କିଲୋମିଟର ଅତିକ୍ରମ କରିବ। ଏହିବସ୍ ଗୁଡ଼ିକ ଝାରଖଣ୍ଡ ଦେଇ ରାଜ୍ୟରେ ୮୦୩୨ କିଲୋମିଟର ଦୂରତା ଅତିକ୍ରମ କରିବ।