ଭୁବନେଶ୍ୱର,୧୪/୦୧: ସରିଲା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୧୧ ଦିନର କଂସ ରାଜରେ ପୂର୍ଣ୍ଣଚ୍ଛେଦ। ନିରବ, ନିସ୍ତବ୍ଧ ହୋଇଯାଇଛି ରଙ୍ଗମହଲ ଓ ରାଜଦରବାର। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି । ସୋମବାର କଂସ ବଧ ସହ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି। ଧନୁଯାତ୍ରାର ଶେଷ ଦିବସ କୃଷ୍ଣ-ବଳରାମ ମଥୁରା ଭ୍ରମଣ କରିବା ବେଳେ ଗୋବିନ୍ଦପାଲି ବିବେକାନନ୍ଦ ଛକଠାରେ ସ୍ବାଗତୋତ୍ସବ ହୋଇଥିଲା। ପରେ କୃଷ୍ଣ-ବଳରାମ ମଞ୍ଚରେ ପହଞ୍ଚି ଶିବଧନୁ ଭଙ୍ଗ କରିଥିଲେ। ଏହାପରେ ରାଜ ଦରବାରରେ କୁବଳୟା ହାତୀ ବାଟ ଓଗାଳିବାରୁ କୃଷ୍ଣ-ବଳରାମ ତାକୁ ବଧ କରିଥିଲେ। ପରେ ଅଷ୍ଟମଲ୍ଲ ନିହତ ହୋଇଥିଲେ। କୃଷ୍ଣ-ବଳରାମ ରାଜଦରବାର ଉପରକୁ ଉଠି ଆସିବା ପରେ ମଞ୍ଚାରୁ ପଡ଼ି ମାମୁ କଂସଙ୍କର ମୃତ୍ୟୁ ହୋଇଥିଲା ।