ବାହୁଡ଼ା ଯାତ୍ରାରେ ଅଘଟଣ, ୬ମୃତ

ନୂଆଦିଲ୍ଲୀ,୨୯/୦୬: ବାହୁଡ଼ା ଯାତ୍ରା ବେଳେ ତ୍ରିପୁରାରେ ଅଭାବନୀୟ ଘଟଣା ଘଟିଛି। ରାଜ୍ୟର ଉନାକୋଟି ଜିଲ୍ଲାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଚାଲିଥିବାବେଳେ ରଥରେ ବିଦ୍ୟୁତ ତାର ଲାଗିବାରୁ ବିଦ୍ୟୁତ ଆଘାତରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ରଥଟି ଲୁହାରେ ନିର୍ମିତ ଥିଲା । ବାହୁଡ଼ା ଯାତ୍ରା ସମୟରେ ରଥଟି ଓଭରହେଡ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ରଥରେ ବିଦ୍ୟୁତ୍ ପ୍ରଭାବିତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ଫଳରେ ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ରହିଛି ।