ଜେଏସପିକୁ ମିଳିଲା ଆସୋଚାମ ଓଡ଼ିଶା ସିଏସଆର ଏଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪

ଭୁବନେଶ୍ଵର, ୨୭/୦୭: କ୍ରୀଡ଼ାର ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସ୍ପି)କୁ ସମ୍ମାନଜନକ ଆସୋଚାମ୍ ଓଡ଼ିଶା ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଠାରେ ଆସୋଚାମ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ  ଏ.ଟି. ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଜେଏସପିର ସିଏସ୍ଆର୍ ଟିମ୍ କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ଭାରତୀୟ କ୍ରୀଡ଼ା କ୍ଷେତ୍ରର ଭବିଷ୍ୟତକୁ ବିଶ୍ବସ୍ତରୀୟରେ ସୁଦୃଢ କରିବା ନିମନ୍ତେ ଆମେ ନିରନ୍ତର ପ୍ରୟାସ କରୁଛୁ । ଏହି ପୁରସ୍କାର ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ା ଏବଂ ଶାରୀରିକ ଫିଟନେସ୍ କୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପିର ପ୍ରତିବଦ୍ଧତାକୁ ଦର୍ଶାଏ, ଯାହାଦ୍ୱାରା ସମାଜର ଉନ୍ନତି ତଥା ସାମଗ୍ରିକ ଅଭିବୃଦ୍ଧି ଉପରେ ସକରାତ୍ମକ ପ୍ରଭାବ ପଡିଥାଏ “। ଏହି ପୁରସ୍କାର ପାଇଁ ସେ ଆସୋଚାମକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

ଜେଏସପି ଏହାର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ଜରିଆରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଂଚଳ ଗୁଡିକରେ ହକି, ଉସୁ, କବାଡି, ଫୁଟବଲ, ତୀରନ୍ଦାଜୀ ସମେତ ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହିତ କରୁଛି । କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ, କ୍ରୀଡା ପ୍ରଶିକ୍ଷଣ ଓ ଶିକ୍ଷା ନିମନ୍ତେ ସହାୟତା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣକୁ ସହାୟତା କରି କମ୍ପାନି ଗ୍ରାମୀଣ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରୁଛି। ଏହି କାର୍ଯ୍ୟକ୍ରମରୁ ୪୦ ହଜାରରୁ ଅଧିକ ଯୁବକ ଯୁବତୀ ଉପକୃତ ହେଉଛନ୍ତି। ଆଦିବାସୀ ଓ ଅବହେଳିତ ସମ୍ପ୍ରଦାୟର ଯୁବ ଓ ଉଦୀୟମାନ କ୍ରୀଡ଼ା ପ୍ରତିଭାମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ କମ୍ପାନୀ ପକ୍ଷରୁ ବରବିଲଠାରେ ଏକ କ୍ରୀଡ଼ା ଛାତ୍ରାବାସ ପ୍ରତିଷ୍ଠା କରାଯାଇଛି। ଜେଏସପି ଦ୍ୱାରା ପ୍ରୋତ୍ସାହିତ ଅନେକ ପ୍ରତିଭା ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।

“ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ଏହାର ବିକାଶ ପାଇଁ ଜେଏସପି ତୃଣମୂଳ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ଛୋଟ ବେଳୁ ପିଲା ଓ କିଶୋରମାନଙ୍କୁ କ୍ରୀଡ଼ାରେ ନିୟୋଜିତ କରି ଆମେ ସେମାନଙ୍କ କ୍ରୀଡ଼ା ଦକ୍ଷତାକୁ ଉତ୍କର୍ଷ କରିବା ନିମନ୍ତେ ଆମେ ପ୍ରୟାସରତ,” ବୋଲି ଜେଏସପିର ସଭାପତି ତଥା ଗ୍ରୁପ୍ ମୁଖ୍ୟ (ସିଏସ୍ଆର୍) ପ୍ରଶାନ୍ତ ହୋତା କହିଛନ୍ତି।