ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ସର୍ବସାଧାରଣ ସ୍ଥାନରେ ଗୋମାଂସ ଖାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୫/୧୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ଖାଇବା କିମ୍ବା ପରିବେଷଣ କରିବାକୁ ଅନୁମତି ଦିଆଯିବ ନାହିଁ । ଯେଉଁମାନେ ଏପରି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଫ୍ ଖାଇବା ଉପରେ ପ୍ରଚଳିତ ଆଇନରେ ସଂଶୋଧନ କରି ନୂଆ ବ୍ୟବସ୍ଥା କୁ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରେଷ୍ଟୁରାଣ୍ଟ, ହୋଟେଲ ଓ ସର୍ବସାଧାରଣ ସ୍ଥାନରେ ଗୋମାଂସ ପରିବେଷଣ ଓ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ତିନି ବର୍ଷ ତଳେ ଆମ ସରକାର ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଆଇନ ପ୍ରଣୟନ କରିଥିଲେ। ଏବେ ସମଗ୍ର ରାଜ୍ୟରେ ଗୋମାଂସ ନିଷେଧାଦେଶ ଲାଗୁ କରାଯାଇଛି। ପୂର୍ବରୁ ମନ୍ଦିରର ୫ କିଲୋମିଟର ମଧ୍ୟରେ ଗୋମାଂସ ଖାଇବା କିମ୍ବା ପରିବେଷଣ ଉପରେ କଟକଣା ଲଗାଇଥିଲୁ, କିନ୍ତୁ ଏବେ ନୂଆ ନିର୍ଦ୍ଦେଶରେ ଆମେ ସମଗ୍ର ରାଜ୍ୟରେ ଏହି ନିର୍ଦ୍ଦେଶ ଜାରି କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ।