ଏସିଆନ୍ ଗେମ୍ସ: ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତିଲେ ନୀରଜ ଚୋପ୍ରା, କିଶୋର ଜେନା ଆଣିଲେ ରୌପ୍ୟ

ନୂଆଦିଲ୍ଲୀ,୪/୧୦: ଏସିଆନ୍ ଗେମ୍ସରେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ନୀରଜ ଚୋପ୍ରା । ଅନ୍ୟପଟେ ଓଡିଆ ପୁଅ କିଶୋର ଜେନା ମଧ୍ୟ ଜାଭଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।ନୀରଜ ଚୋପ୍ରା ୮୮.୮୮ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ସେହିପରି କିଶୋର ଜେନା ୮୭.୫୪ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ପୂରା ପ୍ରତିଯୋଗିତାରେ ଦୁଇ ଭାରତୀୟ ଖେଳାଳିଙ୍କ ଭିତରେ ଟକ୍କର ଦେଖିବାକୁ ମିଳିଥିଲା ।  ଚତୁର୍ଥ ରାଉଣ୍ଡରେ ନୀରଜ ନିଜର ବେଷ୍ଟ ଦେବା ସହିତ କିଶୋରଙ୍କୁ ପଛରେ ପକାଇ ଦେଇଥିଲେ ।ଏହାପରେ ସେ ୮୨.୩୮ ମିଟର ଥ୍ରୋ କରିଥିଲେ । ପରେ ପରେ କିଶୋର ଜେନା ମଧ୍ୟ ଏହି ରାଉଣ୍ଡରେ ୮୧.୨୬ ମିଟର ଏବଂ ଦ୍ୱିତୀୟ ଥରରେ ୮୪.୪୯ ମିଟର ଜାଭଲିନ୍ ଥ୍ରୋ କରିଥିଲେ ।