ଆଶାକର୍ମୀଙ୍କ ଦରମା ବଢ଼ାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ ?

ଭୁବନେଶ୍ୱର,୦୭/୦୩: ଆଶାକର୍ମୀଙ୍କ ଦରମା ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ରାଜ୍ୟର ୪୯,୫୨୨ ଆଶା କର୍ମୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଆଶା କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ଏହି ନୂତନ ଘୋଷଣା ଅନୁଯାୟୀ, ଆଶା କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେବା ନିବୃତ୍ତି ସମୟରେ ପୂର୍ବରୁ ସେମାନେ ୫୦ ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧ ଲକ୍ଷ ଟଙ୍କା ପାଇବେ । ସେମାନଙ୍କ ପାରିଶ୍ରମିକ ବାବଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯.୪୩ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୨୦୮ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ ୫୫ ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ ବହନ କରିବେ । ସୂଚନାଯୋଗ୍ୟ ଯେ ଆଶା କର୍ମୀମାନେ ରାଜ୍ୟରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ସହାୟତା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି।