ମଦ ଦୁର୍ନୀତି ମାମଲା: ମାର୍ଚ୍ଚ ୧୬ରେ ହାଜର ପାଇଁ କେଜ୍ରିୱାଲଙ୍କୁ କୋର୍ଟଙ୍କ ସମନ

ନୂଆଦିଲ୍ଲୀ,୦୭/୦୩: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢ଼ିଲା ଅଡୁଆ । ମାର୍ଚ୍ଚ ୧୬ରେ ହାଜର ହେବାକୁ ରାଉଜ ଏଭିନ୍ୟୁ କୋର୍ଟ ପଠାଇଲେ ସମନ । ଏବେ ଅଦାଲତରେ ମୁହାଁମୁହିଁ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରବର୍ତନ ନିର୍ଦେଶାଳୟ । ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି ପକ୍ଷରୁ ବାରମ୍ବାର ସମନ ଜାରି କରାଯାଇଥିଲେ ବି ଏହାକୁ ଅଣଦେଖା କରି ଆସୁଥିଲେ କେଜ୍ରିୱାଲ । ଇଡିର ସମନକୁ ବେଆଇନ କହିବା ସହ ୧୨ ମାର୍ଚ୍ଚ ପରେ ଭିଡିଓ କନଫରେନ୍ସ ଯୋଗେ ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଥିଲେ । ତେବେ ୮ ଥର ସମନ ପଠାଇବା ପରେ ବି ହାଜର ନ ହେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଡି । ଯାହାର ଶୁଣାଣି କରି ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ ନୋଟିସ କରିଛନ୍ତି କୋର୍ଟ । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଗିରଫ ହୋଇ ଜେଲରେ ଅଛନ୍ତି ।