ଅଇଁଠାପାଲିରେ ବିଶାଳ ଜନସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅମିତ ଶାହ

ଭୁବନେଶ୍ୱର,୨୧/୦୫: ଆଜି ସମ୍ବଲପୁର ଅଇଁଠାପାଲିରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି କ୍ରମରେ ସେ ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ କହିଛନ୍ତି, ନବୀନ ଓଡିଶା ଉପରେ ‘ବାବୁସାହି’ ଲଦିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶା ଜନତାଙ୍କର ଅପମାନ କରିଛନ୍ତି । ନବୀନ ଓଡିଶା ସଂସ୍କୃତି, ଅସ୍ମିତା, ଓ ଓଡିଆ ସ୍ୱାଭିମାନର ତଣ୍ଟି ଚିପିଦେଉଛନ୍ତି । ଏ ମହାନ୍ ଓଡିଶା ମାଟିରେ କେହି ତାମିଲ ବାବୁ ଶାସନ କରିବା ଉଚିତ କି? ବୋଲି ଜନତାଙ୍କୁ ପ୍ରଶ୍ନ କରିଛନ୍ତି ଶାହ । କହିଛନ୍ତି, ‘ ବିଜେପି ପକ୍ଷରୁ ସେ ଓଡିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇ ଯାଉଛନ୍ତି ଉତ୍କଳ ଭୂମି ଉପରେ ଶାସନ ଉତ୍କଳ ଭୂମିର ପୁଅ ହିଁ କରିବ, ଓଡିଶା ଭୂମିପୁତ୍ର ହିଁ କରିବ, ଯିଏ ଓଡିଆ ଭାଷା କହିପାରୁଥିବ । ଉତ୍କଳ ଭୂମି ଉପରେ ଶାସନ କେବଳ ସେ ହିଁ କରିବ ଯିଏ ମହାପ୍ରଭୁଙ୍କ ପରମ୍ପରାକୁ ଆଗେଇ ନେଇଯାଇପାରିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ ପର୍ଯ୍ୟଟନ ନାଁରେ ବିପର୍ଯ୍ୟସ୍ତ କରାଯାଉଛି । ଶ୍ରୀକ୍ଷେତ୍ରକୁ କମର୍ସିଆଲ ସେଣ୍ଟରରେ ବଦଳାଇଦେବାକୁ ଚାହୁଁଛନ୍ତିି । ଏଠାରେ ଥିବା ଶହଶହ ବର୍ଷ ପୁରାତନ ମଠ ମନ୍ଦିରକୁ ମାଟିରେ ମିଶାଇ ଦିଆଯାଇଛି ।