ଅମରନାଥ ଯାତ୍ରାକୁ ନେଇ ସରକାରଙ୍କ ନୂଆ ନିୟମ, ଜାଣନ୍ତୁ କଣ

ନୂଆଦିଲ୍ଲୀ,୧୬/୫: ଅମରନାଥ ଯାତ୍ରାକୁ ନେଇ ସରକାର ନୂଆ ନିୟମ ଘୋଷଣା କରିଛନ୍ତି । ଏହି ନିୟମ ମୁତାବକ ଏବେ ୭୫ ବର୍ଷ ବୟସରୁ ଅଧିକ ଓ ୧୩ ବର୍ଷ ବୟସରୁ କମ୍ ବୟସ୍କ ଲୋକଙ୍କୁ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ । ସେପଟେ ଅମରନାଥ ଯାତ୍ରା ପାଇଁ ଏପ୍ରିଲ ୧୭ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଏନେଇ ବହୁ ସଂଖ୍ୟାର ଲୋକ ଅନୁମତି ପାଇଁ ଦେଶରେ ନାମିତ ଅନେକ ବ୍ୟାଙ୍କରେ ପହଂଚୁଛନ୍ତି । ଦକ୍ଷିଣ କାଶ୍ମୀରର ୩,୮୮୦ ମିଟର ଉଚ୍ଚରେ ଥିବା ଏହି ଗୁମ୍ଫା ଦର୍ଶନ ୬୨ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ତୀର୍ଥଯାତ୍ରା ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଯାଉଛି ଓ ଏହା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ନୂଆ ନିୟମ ମୁତାବକ ୬ ସପ୍ତାହରୁ ଅଧିକ ଗର୍ଭବତୀ ଥିବା ମହିଳାଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ । ଏହାସହ ବାବା ଅମରନାଥଙ୍କ ଯାତ୍ରା ଦୁଇଟି ରାସ୍ତାରେ ହୋଇପାରେ । ପ୍ରଥମଟି ଦକ୍ଷିଣ କାଶ୍ମୀର ଅର୍ନ୍ତଗତ ପହଲାଗାମ ମାଧ୍ୟମରେ ଓ ଅନ୍ୟ ରାସ୍ତାଟି କାଶ୍ମୀରର ଗାନ୍ଦରବଲ ଜିଲ୍ଲା ଦେଇ ଯାତ୍ରୀମାନଙ୍କୁ ଯାତ୍ରା କରିବାର ସୁଯୋଗ ମିଳିପାରେ ।