ଏୟାର ସୋ ରେ ପ୍ରବଳ ଟ୍ରାଫିକ୍‌ ଭିଡ଼

ଭୁବନେଶ୍ବର,୧୬/୯: ରାଜଧାନୀ ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀପଠାରେ ଥିବା ବାଲିଯାତ୍ରା ପଡ଼ିଆରେ ଆଜି ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’ ସଫଳତାର ସହିତ ସଂପନ୍ନ ହୋଇଛି। ଆଜି ପୂର୍ବାହ୍ନ ୧୦ଟା ୨୦ ମିନିଟରେ ଏହି ଏୟାର ସୋ’ରେ ୯ଟି ହକ୍ ବିମାନ ସାମିଲ ହୋଇଥିଲେ। ବିମାନଗୁଡ଼ିକ ୫ଶହରୁ ୧ହଜାର ଫୁଟ୍ ଉଚ୍ଚରେ ନିଜର କଳାକୌଶଳ ପ୍ରଦର୍ଶନ କରିଥିଲେ। କୁଆଖାଇ ନଦୀପଠାର ଉଭୟ ପାର୍ଶ୍ବରେ ଲକ୍ଷାଧିକ ଦର୍ଶକ ଏୟାର ସୋ’ର ମଜା ନେଇଥିଲେ। କର୍ଣ୍ଣାଟକରୁ ଆସିଥିବା ୯ଟି ହକ୍ ବିମାନରେ ବାୟୁବୀରମାନେ ପ୍ରାୟ ୨୦ ମିନିଟ ଯାଏଁ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିଥିଲେ। ଏୟାର ସୋ’କୁ ମନଭରି ଉପଭୋଗ କରିବା ପରେ ବାଲିଯାତ୍ରା ପଡ଼ିଆ ଓ କୁଆଖାଇପଠାକୁ ଯାଇଥିବା ଲୋକଙ୍କର ଫେରିବାରେ ଅସୁବିଧା ହୋଇଥିଲା ।

୧୬ ନମ୍ବର ଜାତୀୟ ରାଜପଥରୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇଥିବା ରାସ୍ତା ଦୁଇ ଥାକିଆ ହୋଇଛି। ମାତ୍ର ଆଜିର ଭିଡ଼ ଏଭଳି ଥିଲା ଯେ, ରାସ୍ତା ସଂକୀର୍ଣ୍ଣ ହୋଇଥିବା ଭଳି ମନେ ହେଉଥିଲା। ଏୟାର ‌ସୋ’ ଶେଷ ହେବା ପରେ କୁଆଖାଇ ନଦୀ ବାଲିରେ ଥିବା ହଜାର ହଜାର ବାଇକ୍‌ ଓ କାର ରାସ୍ତା ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ଯାନବାହନଗୁଡ଼ିକୁ ନଦୀର ବାଲିପଠାରୁ ରାସ୍ତାକୁ ଚଢ଼ିବା ପାଇଁ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ବେଳେ ବାଲିଯାତ୍ରା ପଡ଼ିଆଠାରୁ ବିଜୁ କ୍ଲବ ପର୍ଯ୍ୟନ୍ତ ଏକ କିମି ରାସ୍ତା ଅତିକ୍ରମ କରିବା ପାଇଁ ଏକ ଘଣ୍ଟା ସମୟ ଲାଗିଥିଲା।