ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀଙ୍କୁ ସୁଧ ରିହାତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୪: ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀଙ୍କୁ ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀ ମାନଙ୍କୁ ଏହି ସୁଧ ରିହାତି ପ୍ରଦାନ କରାଯିବ । ୪୪୧. ୮୨ କୋଟି ଟଙ୍କା ଏହି ପର୍ଯ୍ୟାୟରେ ଋଣ ରିହାତି ଦିଆଯିବ ବୋଲି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଂକା ପର୍ଯ୍ୟନ୍ତ ଓ ୧ରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମାତ୍ର ୨ ପ୍ରତିଶତ ସୁଧରେ ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷ ଆମ ଅର୍ଥନୀତିର ଆତ୍ମା, ବିକାଶର ଆଧାର । ଚାଷୀ, ମା ଓ ଯୁବବର୍ଗ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ସାରଥୀ ସାଜିଛନ୍ତି । ତେଣୁ ଚାଷୀ, ମା ଓ ଯୁବବର୍ଗଙ୍କ ସଶକ୍ତିକରଣ ଉପରେ ସବୁବେଳେ ଜୋର ଦେଇ ଆସିଛି । ଚାଷୀଙ୍କୁ ସଶକ୍ତ କରିବାକୁ ସ୍ୱତନ୍ତ୍ର ବଜେଟ କରାଯାଇଛି । ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ୟ ଋଣ ଦିଆଯାଇଛି । ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି ।