ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣ

ନୂଆଦିଲ୍ଲୀ,୨୪/୦୬ : ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ଅସନ୍ତୁଷ୍ଠ ଜାରି ରହିଛି । ଆଉ ଏହାରି ଭିତରେ ଆଜି ବାୟୁସେନାରେ ଅଗ୍ନିବୀରବାୟୁ ଭର୍ତ୍ତି ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ଏ ବାବଦରେ ଗତ ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଆବେଦନ, ଚୟନ ଓ ଭର୍ତ୍ତି ପାଇଁ ଆବେଦନକାରୀ ବାୟୁସେନାର ଅଧିକାରିକ ୱେବସାଇଟ indianairforce.nic.in ରେ ଦିଆଯାଇଥିବା ବିଜ୍ଞପ୍ତିରେ ଯାଞ୍ଚ କରିପାରିବେ । ଅନଲାଇନରେ ହେବାକୁ ଥିବା ଏହି ରେଜିଷ୍ଟ୍ରେସନ ୨୪ ଜୁନରୁ ୫ ଜୁଲାଇ ଯାଏଁ ଜାରି ରହିବ ।
ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଆଶାୟୀ ଯୁବକ agnipathvayu.cdac.in ଏହି ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ୱେବପୋର୍ଟାଲ ସକାଳ ୧୦ଟାରୁ ଖୋଲି ସାରିଲାଣି । ଆଉ ଆଶାୟୀ ଯୁବକ ମାନେ ନିଜର ତଥ୍ୟ ଦେଇ ପ୍ରଥମେ ରେଜିଷ୍ଟ୍ରେସନ କରିବେ ଓ ପରେ ଅନଲାଇନ ଫର୍ମ ଭରିବେ । ଫର୍ମ ଜମା କରିବା ପାଇଁ ୨୫୦ ଟଙ୍କା ଲେଖାଏଁ ଦେବାକୁ ପଡିବ ।