ବିପର୍ଯ୍ୟୟ ମୁକାବିଲା ପାଇଁ ଆକ୍ସନ୍ ପ୍ଲାନ୍

ଭୁବନେଶ୍ବର,୨୩/୦୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଆକ୍ସନ୍ ପ୍ଲାନ୍ ଦେଲା ପୂର୍ତ୍ତ ବିଭାଗ । ବିପର୍ଯ୍ୟୟର ୨୪ ଘଣ୍ଟା ଭିତରେ ରାସ୍ତା ସଫା କରି ଉଦ୍ଧାର ଓ ରିଲିଫ୍ କାମକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପୁନଃ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ, ଓଡ୍ରାଫ, ଏନଡିଆରଏଫ୍ ଓ ଅନ୍ୟ ବୈଷୟିକ ବିଭାଗ ସହ ସମନ୍ବୟ ରଖି କାମ କରାଯିବ । କ୍ଷୟକ୍ଷତିର ଫଟୋକୁ ଜିଓ ଟ୍ୟାଗିଂ କରି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପାଖରେ ରିପୋର୍ଟ ଦାଖଲ କରାଯିବ । ଆବଶ୍ୟକ ସ୍ଥଳେ ପୂର୍ତ୍ତ ବିଭାଗର ତାଲିକାଭୁକ୍ତ ଠିକାଦାରଙ୍କ ସହଯୋଗ ନିଆଯିବ ।

ସମ୍ବେଦନଶୀଳ ସ୍ଥାନ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ । ଜରୁରିକାଳୀନ ପରିସ୍ଥିତିରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯିବ । ଓଡ୍ରାଫ ଓ ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ନେଇ ସଚେତନ କରାଯିବ ।ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ମନିଟରିଂ କରାଯିବ । ପ୍ରାକ୍ ଓ ପରବର୍ତ୍ତୀ ସ୍ଥିତିର ଦୈନିକ ସୂଚନା ପାଇଁ ଜରୁରିକାଳୀନ ସେଲ ଓ ହ୍ବାଟ୍ସଆପ୍ ଗ୍ରୁପ ଖୋଲାଯିବ ।