କଳାହାଣ୍ଡିରେ ପିକଅପ୍ ଭ୍ୟାନ ଓଲଟି ୫ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର,୧୨/୦୨: କଳାହାଣ୍ଡିରେ ଅଭାବନୀୟ ଘଟଣା ଘଟିଛି । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ା ଗାଁ ନିଟକରେ ପିକଅପ୍ ଭ୍ୟାନ ଓଲଟି ୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାସହ ୨୦ରୁ ଅଧିକ ଜଣ ଶ୍ରମିକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି । ଗୋଲାମୁଣ୍ଡା ଡୋକରିପଡ଼ାରେ ଧାନ ରୁଆ କାମ ପାଇଁ ଶ୍ରମିକମାନେ ଆସିଥିଲେ । କାମ ସାରି ସେମାନେ ପିକ୍ଅପ୍ ଭ୍ୟାନରେ ବୋଝେଇ ହୋଇ ଜୁନାଗଡ଼ ବ୍ଲକ ଆଟିଗାଁ କୁ ଫେରୁଥିଲେ । ଗାଡ଼ିରେ ପ୍ରାୟ ୬୦ରୁ ଅଧିକ ଶ୍ରମିକ ଥିବା ଜଣାପଡ଼ିଛି । ଫଳରେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସନ୍ଦେହ କରାଯାଉଛି । ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼, ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଗୁରତର ଆହତଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି ।