ଓଭର୍‌ବ୍ରିଜ୍‌ ଉପରୁ ଖସି ରେଳଧାରଣାରେ ପଡିଲା ବସ୍‌, ୪ମୃତ ଓ ୨୪ ଆହତ

ନୂଆଦିଲ୍ଲୀ,୧୧/୦୬ : ରାଜସ୍ଥାନର ଦୌସାରେ ଯାଉଥିବା ଗୋଟାଏ ବସ୍‌ ଭାରସାମ୍ୟ ହରାଇ ଓଭର୍‌ବ୍ରିଜ୍‌ ଉପରୁ ଖସି ରେଳଧାରଣାରେ ପଡିଥିଲା ।ଯାହାଫଳରେ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୨୪ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଦୁର୍ଘଟଣାଗ୍ରସ୍ତ ବସ୍‌ରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ଦୌସା ଜିଲ୍ଲାପାଳ କହିଛନ୍ତି, ରବିବାର ରାତି ପ୍ରାୟ ୨ଟା ବେଳେ ୨୧ ନମ୍ବର ଜାତୀୟ ରାଜପଥରେ ସାଙ୍ଘାତିକ ସଡ଼କ ଦୁର୍ଘଟଣା ଘଟିଛି। ହରିଦ୍ବାରରୁ ଜୟପୁର ଅଭିମୁଖେ ଯାଉଥିବା ଗୋଟାଏ ବସ୍‌ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ପୋଲର ଲୁହାବାଡ଼ା ଭାଙ୍ଗି ତଳେ ଯାଇଥିବା ଜୟପୁର-ଦିଲ୍ଲୀ ରେଳପଥ ଉପରେ ପଡ଼ିଯାଇଛି। ଦୌସାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି, ଦୁର୍ଘଟଣା ପରେ ଡାକ୍ତରଖାନା ଅଣାଯାଇଥିବା ୨୮ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ତଦନ୍ତ କରିବା ଲାଗି ‘ଏସ୍‌ଡିଏମ୍‌’କୁ ଘଟଣାସ୍ଥଳକୁ ପଠାଯାଇଛି।