ଓଡିଶାକୁ ବାତ୍ୟା ଭୟ ! ୱେଲ ମାର୍କଡ୍‌ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର,୨/୧୨: ୱେଲ ମାର୍କଡ୍‌ ଲୋ ପ୍ରେସରରେ ପରିଣତ ହୋଇଛି ସୃଷ୍ଟି ହୋଇଥିବା ଲଘୁଚାପ। ଏହି ସମ୍ଭାବ୍ୟ ବାତ୍ୟା ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଏହା ଆସନ୍ତା ୧୨ ଘଣ୍ଟାରେ ଅବପାତ ଓ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଆସନ୍ତାକାଲିଠୁ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ପବନର ବେଗ ବଢ଼ିବା ନେଇ ଜଣାପଡିଛି । ସେହିପରି ଆସନ୍ତା ୪ ତାରରିଖ ସକାଳେ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ତେଣୁ ରାଜ୍ୟର ୪ ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ‌ଯେ ସମ୍ଭାବ୍ୟ ବାତ୍ୟା କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ ଏବଂ ଏହାର ତୀବ୍ରତା କେତେ ରହିବ ତାହା ଆସନ୍ତାକାଲି ସ୍ପଷ୍ଟ ହେବ। କିନ୍ତୁ ଏହା ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ଲାଗି ରହିବ। ସମ୍ଭାବ୍ୟ ବାତ୍ୟା ଯୋଗୁଁ ୨ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।