ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩/୧୧: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆସନ୍ତାକାଲି ସକାଳ ସାଢ଼େ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ ସୂର୍ଯ୍ୟପୂଜା, ଅଗ୍ନିପୂଜା ଓ ଯଜ୍ଞବିଧି ସମ୍ପନ୍ନ ହେବ । ୧୦ଟା ୧୫ରୁ ସାଢ଼ା ୧୦ଟା ମଧ୍ୟରେ ଶିଳା ସ୍ଥାପନ ଓ ପୁଷ୍ପାଞ୍ଜଳି ସହ ପୂର୍ଣ୍ଣାହୁତି ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ପୁରୀର ସବୁ ବିଧାୟକ ଓ ସାଂସଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୩ ଜଣ ଅତିରିକ୍ତ ଏସପି, ୧୦ଜଣ ଡିଏସପି, ୪୦ଜଣ ଇନସ୍ପେକ୍ଟର ଓ ୧୦୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି ବୋଲି ଏସପି କହିଛନ୍ତି ।

ସୂଚନାଯୋଗ୍ୟ ଯେ  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ଆୟୋଜିତ ହୋଇଥିବା ତିନିଦିନିଆ ଯଜ୍ଞର ଆଜି ଦ୍ଵିତୀୟ ଦିନ। ଆସନ୍ତାକାଲି ପୂର୍ଣ୍ଣାହୁତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ । ଶ୍ରୀମନ୍ଦିର ସୁରକ୍ଷା କରିଡର ପରିକଳ୍ପନାର ପ୍ରଥମ ପ୍ରକଳ୍ପ ହେଉଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ।