କମିବ ଶୀତ, ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର, ୨୧/୧୧: ରାଜ୍ୟରେ ଏବେ ଶୀତର ପ୍ରଭାବ କମ ରହିଛି । ସେହିପରି ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇଛି । ପ୍ରାୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି । ଅନ୍ୟପଟେ ରାଜ୍ୟକୁ ବର୍ତ୍ତମାନ ପୂର୍ବ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୪ ଦିନ ପରେ ବର୍ଷା କମି‌ବା ପରେ ଶୀତ ପ୍ରବେଶ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨୩ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆଦି ଅଞ୍ଚଳରେ ବର୍ଷା ହେବ । ୨୪ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ଅଞ୍ଚଳରେ ବର୍ଷିବା ସହ ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ହେବାର ଆଶଙ୍କା ରହିଛି ।