ଭୟଙ୍କର ସିରିଜ ବିସ୍ଫୋରଣରେ ଥରିଲା ଉଗାଣ୍ଡା

ନୂଆଦିଲ୍ଲୀ,୧୬/୧୧: ଉଗାଣ୍ଡାର ରାଜଧାନୀ କମ୍ପାଲାର ସଂସଦ ଭବନ ବାହାରେ ବିସ୍ଫୋରଣ ହୋଇଛି । ଏଥିରେ ୬ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ପ୍ରାଣଘାତି ବିସ୍ଫୋରଣସ୍ଥଳରୁ ମାତ୍ର ୧୦୦ ମିଟର ଦୂରରେ ଭାରତୀୟ ପାରା ବ୍ୟାଡମିଣ୍ଟନ୍ ଟିମ୍ ଉପସ୍ଥିତ ଥିଲା । କିନ୍ତୁ ଏହି ଘଟଣାରେ ଭାରତୀୟ ଦଳର କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ଟିମରେ ଅଲିମ୍ପିକ ପଦକ ଜିତିଥିବା ପ୍ରମୋଦ ଭଗତ ଓ ମନୋଜ ସରକାର ଖେଳାଳି ଥିଲେ । ସୂଚନା ଅନୁଯାୟୀ ପ୍ରଥମେ ଏକ ଥାନା ପାଖରେ ବିସ୍ଫୋରଣ ହୋଇଥିଲା । ପରେ ଦ୍ୱିତୀୟ ବିସ୍ଫୋରଣ ସଂସଦ ଭବନ ନିକଟରେ ଥିବା ରାସ୍ତାରେ ହୋଇଥିଲା । ଏହାପରେ ସଂସଦ ଭବନକୁ ଖାଲି କରିଦିଆଯାଇଥିଲା । ପୂର୍ବରୁ ମଧ୍ୟ ଗତ ଅକ୍ଟୋବର ୨୩ରେ କମ୍ପାଲାର ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ ।