ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୯/୧୧: ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଛି । ଏହାରି ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବ । କ୍ରମେ ଅବପାତଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ସ୍ଥଳଭାଗ ମୁହାଁ ହୋଇ ୧୧ ତାରିଖ ସକାଳ ସୁଦ୍ଧା ତାମିଲନାଡୁ ଉପକୂଳ ଛୁଇଁବ ବୋଲି ସୂଚନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ତାମିଲନାଡୁରେ ଗତ କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ରହିଛି । ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ୫ ଜଣ ପ୍ରାଣ ହରାଇଥିବା ବେଳେ ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ ମୁତୟନ କରାଯିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।