ରାଜ୍ୟରେ ବର୍ଷା ସମ୍ଭାବନା, କମିବ ତାପମାତ୍ରା

ଭୁବନେଶ୍ୱର, ୨୮/୧୦: ରାଜ୍ୟରୁ ସମ୍ପୂର୍ଣ୍ଣ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି । ରାଜ୍ୟରେ ଏବେ ଉତ୍ତରା ପବନ ବହୁଥିବାରୁ ପାଗ ଶୁଖିଲା ଓ ଖରାଟିଆ ରହିବ । ଏଥିଯୋଗୁଁ ଆସନ୍ତା ୨୯ରୁ ୨ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ୍ କମିପାରେ ବୋଲି ସୂଚନା ମିଳିଛି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାରିମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦ୍ୱାରା ତାମିଲନାଡୁ ଓ କେରଳରେ ବର୍ଷା ହେବ । ଏହାର ପ୍ରଭାବରେ ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ଗଞ୍ଜାମ, ଗଜପତି ଜିଲ୍ଲାରେ ପାଗ ମେଘୁଆ ସହ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୩୦ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ନଭେମ୍ବର ୨ରେ ଏହା ଦୁର୍ବଳ ହୋଇଯିବ । କିନ୍ତୁ ଲଘୁଚାପ ବଳୟ ଅବସ୍ଥାରେ ବଙ୍ଗୋପସାଗରରେ ବିସ୍ତୃତ ହେବା ସହ ଉତ୍ତର-ପୂର୍ବ ମୌସୁମୀ ବାୟୁକୁ ସକ୍ରିୟ କରାଇବ । ଏ ଏହାର ପ୍ରଭାବରେ ନଭେମ୍ବର ୪ ଓ ୫ରେ ଉପକୂଳ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା ଅଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାର ସମୁଦ୍ର ସଂଲଗ୍ନ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ ।