ଆସନ୍ତା ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୫/୧୦ : ରାଜ୍ୟରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘଦିନ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏନେଇ ଛାତ୍ରଛାତ୍ରୀ ପାଠ ପଢା ଉପରେ ବେଶ ପ୍ରଭାବ ପଡିଛି । ଅନ୍ୟପଟେ ବିଦ୍ୟାର୍ଥୀମାନେ ଘରେ ରହି ଅନଲାଇନ ମାଧ୍ୟମରେ ପାଠ ପଢୁଥିଲେ । କିନ୍ତୁ ଅନେକ ଅଞ୍ଚଳରେ ଏହା ସମ୍ଭବ ହୋଇପାରୁନଥିଲା । ଏବେ କରୋନା ସଂକ୍ରମଣ କମିବାରୁ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ କରାଯାଉଛି । ଏହାରିମଧ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଅଫଲାଇନ ପାଠପଢା ପାଇଁ ସ୍କୁଲ ଖୋଲିଥିବାବେଳେ ଦଶହରା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲାଯିବ ବୋଲି ସୂଚନା ମିଳିଛି । ସମସ୍ତ ପ୍ରକାର କୋଭିଡ ଗାଇଡଲାଇନ ମାନି ଶ୍ରେଣୀଗୃହରେ ଶିକ୍ଷାଦାନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂଜାଛଟି ପରେ ସ୍କୁଲ ଖୋଲିବା ନେଇ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ । ସେହିପରି ଆସନ୍ତା ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ ବୋଲି ସେ କହିଛନ୍ତି ।