ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଟଳିଲା ବାତ୍ୟା ଭୟ

ଭୁବନେଶ୍ୱର, ୧୫/୧୦: ରାଜ୍ୟରେ ଏବେ ମସୁମୀ ପ୍ରତ୍ୟାବର୍ତନ କରିବାରେ ଲାଗିଛି । ଏହାରିମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । କିନ୍ତୁ ଏହା ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ । ତେବେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୩ଦିନ ବର୍ଷା ଲାଗି ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହିତ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଗତକାଲି ରାଜ୍ୟରେ ଆକାଶ ମେଘୁଆ ରହିବା ସହ କେତେକ ସ୍ଥାନରେ ବର୍ଷା ହୋଇଥିଲା। ଆଜି ମଧ୍ୟ ସକାଳୁ ସକାଳୁ ରାଜ୍ୟର କେତେକ ସ୍ଥାନରେ ଝିପି ଝିପି ବର୍ଷା ହେବା ସହ ଆକାଶ ମେଘାଚ୍ଛନ୍ନ ରହିଥିବା ଦେଖିବାକୁ ମିଳିଛି। ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୁଳ, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ଥିବା ବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢ଼େଙ୍କାନାଳରେ କାଳବୈଶାଖୀ ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।