ମହାମାୟାଙ୍କ ଚାଲିଛି ମହାଷ୍ଟମୀ ପୂଜା

ଭୁବନେଶ୍ୱର, ୧୩/୧୦ : ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ବିପଦ ଟଳିନି । ମଣ୍ଡପରେ ପୂଜା ପାଉଛନ୍ତି ମା ଜଗତ ଜନନୀ। କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମା’ଙ୍କ ଅଷ୍ଟମୀ ପୂଜାର୍ଚ୍ଚନା ଚାଲିଛି । ମହାଷ୍ଟମୀ ପୂଜାରେ ଚଣ୍ଡୀପାଠରେ କମ୍ପୁଛି ପରିବେଶ। କିନ୍ତୁ ଦର୍ଶନ କରିବାକୁ ଭକ୍ତମାନଙ୍କୁ ଅନୁମତି ନାହିଁ । କୋଭିଡ କଟକଣା ସାଜିଛି ବାଧକ। ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ସମ୍ପୂର୍ଣ୍ଣ ଫିକା ହୋଇଯାଇଛି । ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି। ଅନ୍ୟପଟେ ମଣ୍ଡପରେ ମହାଷ୍ଟମୀ ଚାଲିଥିବା ବେଳେ ଦେବୀ ପୀଠଗୁଡିକରେ ଆଜି ମା’ଙ୍କ ନବମୀ ପୂଜା ହେଉଛି । ଏହାସହ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ସ୍ଥିତ ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଗତକାଲିଠୁ ୧୪ ତାରିଖ ଯାଏ ପୀଠ ଓ ଏହାର ଚତୁଃପାର୍ଶ୍ୱରେ ଏହି କଟକଣା ଲାଗୁ କରାଯାଇଛି।