ଭିଜିବ କି ଦଶହରା, ବର୍ଷା ସହ ବଢିବ ପବନର ବେଗ !

ଭୁବନେଶ୍ୱର, ୧୧/୧୦ : ରାଜ୍ୟରେ ଏବେ ବି ମୌସୁମୀ ସକ୍ରିୟ ରହିଛି । ଏହରି ମଧ୍ୟରେ ଆରବ ସାଗର ଏବଂ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଆସନ୍ତା ଦୁଇ ଦିନ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଅନ୍ୟପଟେ ଆସନ୍ତା ଦୁଇ ଦିନ ମଧ୍ୟରେ ଗୁଜୁରାଟ, ଛତିଶଗଡ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ବିହାର ଏବଂ ମହାରାଷ୍ଟ୍ର, ଓଡିଶା ଏବଂ ପଶ୍ଚିମବଙ୍ଗର କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ଅବସ୍ଥା ଅନୁକୂଳ ହୋଇଥିବା ସୂଚନା ରହିଛି । ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖରେ ଅଞ୍ଚଳରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଏହା ଗତି କରିବ। ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ। ଏହାସହ ପବନର ବେଗ ୪୦-୫୦ କିଲୋମିଟରରୁ ୬୦ କିଲୋମିଟର ପର୍ଯ୍ୟନ୍ତ ରହିବ ।