ପୋଲିସ ଉପରକୁ ଗୁଳି ସହ ବୋମାମାଡ଼, ବହୁ ମାରଣାସ୍ତ୍ର ଜବତ

ବ୍ରହ୍ମପୁର,୭/୧୦: ଦିଗପହଣ୍ଡି ଚଢ଼େୟାଗଡ଼ ପାହାଡ଼ରେ ଅପରାଧୀ-ପୋଲିସ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ପୋଲିସ ଉପରକୁ ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା ଗୁଳିମାଡ଼ ସହ ବୋମାମାଡ଼ କରିଛି । ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା ଓ ସହଯୋଗୀଙ୍କ ଆକ୍ରମଣ ଆକ୍ରମଣରେ କୌଣସି ପୋଲିସ ଆହତ ହୋଇ ନଥିବା ସୂଚନା ରହିଛି । ଅନ୍ୟପଟେ ଘଟଣାସ୍ଥଳରୁ କୁନା ବେହେରା ଓ ସହଯୋଗୀମାନେ ଖସି ପଳାଇଥିଲେ। କୁନାର ଆଡ୍ଡାରୁ ୩ଟି ୯ଏମଏମ ଗୁଳି, ୮ଟି ଦେଶୀ ଗୁଳି, ୨ଟି ଦେଶୀ ବନ୍ଧୁକ ସହିତ ବହୁ ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅପରାଧୀ କୁନା ନାଁରେ ବିଭିନ୍ନ ଥାନାରେ ୨୫ରୁ ଊର୍ଦ୍ଧ୍ୱ ମାମଲା ରହିଛି ।

ଚଡ଼େୟାଗଡ଼ ଗାଁ ନିକଟରେ ଏକ ପାହାଡ଼ରେ କୁନା ତା’ ଗ୍ୟାଙ୍ଗ ସହିତ କ୍ୟାମ୍ପ କରି ରହିଥିବା ନେଇ ପୁଲିସ୍‌କୁ ଖବର ମିଳିଥିଲା। ଏହି ସୂଚନା ମିଳିବ ପରେ ସେମାନଙ୍କୁ ଧରିବା ପାଇଁ ଦିଗପହଣ୍ଡି ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା। ତେବେ ସେହି ସମୟରେ କୁନା ଓ ତା’ ଗ୍ୟାଙ୍ଗ ସେମାନଙ୍କ ଉପରକୁ ଗୁଳି କରିବା ସହିତ ବୋମା ଫିଙ୍ଗି ଫେରାର ହୋଇଯାଇଥିଲା । ଏବେ କୁନା ଓ ତା’ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ୍‌ ସର୍ଚ୍ଚ ଅପରେସନ୍ ଜାରି ରଖିଛି।