ଶୀତ ଋତୁ ନେଇ ବିଏମସି ଜାରି କଲା ନୂଆ ଗାଇଡ଼ଲାଇନ, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୪/୧୦: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି । ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବୋର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ଆଗକୁ ଶୀତ ଋତୁ ଆସୁଥିବାରୁ ବିଏମସି କୋଭିଡ଼ କଟକଣାକୁ କଡ଼ାକଡ଼ି କରିଛି । ବିଏମସି ଶୀତଦିନ ପାଇଁ ଜାରି କରିଥିବା ଗାଇଡଲାଇନ୍ ଅନୁସାରେ ବିବାହ, ବ୍ରତଘରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ସଂକ୍ରମଣ କମ୍ କରିବା ପାଇଁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଶୁଦ୍ଧି କ୍ରିୟାରେ ମଧ୍ୟ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେନି । ଆୟୋଜନ ପୂର୍ବରୁ ବିଏମସିର ଅନୁମତି ନେବା ବାଧ୍ୟତାମୂଳକ ରହିଛି । ଥଣ୍ଡା, ଜ୍ୱର, କାଶ ଥିଲେ ସମାରୋହଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ବୟସ୍କ, ଗର୍ଭବତୀ ଓ ୧୦ବର୍ଷରୁ କମ ଶିଶୁଙ୍କୁ ସାମିଲ କରାଯିବାକୁ ନେଇ ମଧ୍ୟ କଟକଣା ଜାରି କରାଯାଇଛି । ସମାରୋହରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଇବେ ଆୟୋଜକ । ସମାରୋହରେ ୬ଫୁଟର ସାମାଜିକ ଦୂରତା ନିୟମ ମାନିବେ । ଖାଇବା ସମୟ ଛଡ଼ା ଅନ୍ୟ ସବୁବେଳେ ମାସ୍କ ପିନ୍ଧିବେ । ପାନ/ଗୁଟଖା ଖାଇବା ଓ ଛେପ ପକାଇବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଯଦି ଗାଇଡଲାଇନ ଉଲ୍ଲଂଘନ ହେବ ତେବେ ଆୟୋଜକ ଓ ହଲ୍ ମାଲିକ ଦାୟୀ ରହିବେ ବୋଲି ସୂଚନା ମିଳିଛି ।