ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା , ରାଜ୍ୟରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର, ୨୮/୯: ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଗୁଲାବ। ଅନ୍ୟପଟେ ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖ ଓ ଅକ୍ଟୋବର ୯ ତାରିଖରେ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହ ମୌସୁମୀ ମଧ୍ୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୨୯ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଭଦ୍ରକରେ ପ୍ରବଳ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏସବୁ ଜିଲ୍ଲାଗୁଡ଼ିକରେ ମଧ୍ୟ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବଙ୍ଗୋପସାଗରରେ ଅକ୍ଟୋବର ୯ ତାରିଖରେ ଆଉ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମଧ୍ୟ ରାଜ୍ୟରେ ଭଲ ବର୍ଷା ହୋଇପାରେ।