ଭୁବନେଶ୍ୱର କ୍ଲବ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର, ୨୭/୯: ରାଜ୍ୟର ହାଇପ୍ରୋଫାଇଲ କ୍ଲବ ତଥା ଆଇଏଏସ ଅଧିକାରୀଙ୍କ କ୍ଲବ ରାଜଧାନୀ ଭୁବନେଶ୍ୱର କ୍ଲବର ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇଛନ୍ତି। ଏହି ନିର୍ବାଚନରେ ଅସିତ୍‌ଙ୍କୁ ମୋଟ ୭୭୬ଟି ଭୋଟ୍ ମିଳିଥିବା ବେଳେ ଅନ୍ୟପକ୍ଷରେ ବିଜୟଙ୍କୁ ୪୯୮ଟି ଭୋଟ୍‌ ମିଳିଥିଲା। ସେ ଏବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି। ସେହିପରି ୩ଜଣ ପ୍ରତିଦ୍ବନ୍ଦୀଙ୍କୁ ହରାଇ ଉପସଭାପତି ଭାବରେ ମହେନ୍ଦ୍ର ଗୁପ୍ତା ନିର୍ବାଚିତ ହୋଇଛନ୍ତି । ସେ ୨୧୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ତେବେ କ୍ଲବର ସମ୍ପାଦକ ଭାବେ ବିଶାଲ ଦେବ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବରେ ଅଶୋକ ମିଶ୍ର ବିଜୟ ଲାଭ କରିଛନ୍ତି ।

କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ୨୨ଜଣ ପ୍ରାର୍ଥୀ ଠିଆ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ ନିର୍ବାଚିତ ହୋଇଛନ୍ତି । ଦେବବ୍ରତ ବିଶ୍ୱାଳ, ପାର୍ଥଜୀତ ପଟ୍ଟନାଏକ, ପ୍ରଗତି କୁମାର ମହାନ୍ତି, ପି.ଭି ମୋହନ, ସରତ ଚନ୍ଦ୍ର ଭଦ୍ର ,ଟୁଟୁଳ କିଶୋରେ ଦାସ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବିଜୟୀ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର କ୍ଳବ୍ ୭୧ ବର୍ଷ ତଳେ ତଥା ୧୯୪୯ରେ ପ୍ରତିଷ୍ଠା ହୋଇଥିଲା । ଏଥିରେ ଏବେ ରାଜନେତା, ଆଇଏଏସ୍‌ ଓ ଶିଳ୍ପପତିମାନେ ସଦସ୍ୟ ଅଛନ୍ତି।