ଆଜି ରାଷ୍ଟ୍ରପତି ଜୋ ବିଡେନ୍‌ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪/୯: ଆମେରିକା ଗସ୍ତ ଅବସରରେ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳରେ ସହଯୋଗ ପାଇଁ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି ମୋଦି । ଏହାସହ ଜଳବାୟୁ ପରିବର୍ତ୍ତନ ଓ କ୍ବାଡ୍ ଗଠନ ପ୍ରସଙ୍ଗରେ ମଧ୍ୟ ପ୍ରଶଂସା କରିଛନ୍ତି । ସାକ୍ଷାତ ବେଳେ ମୋଦି-ହାରିସଙ୍କ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଦ୍ବି-ପାକ୍ଷିକ ସଂପର୍କକୁ ଶିଖରରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଆଶାବାଦୀ ରହିଛନ୍ତି । ଅନ୍ୟପଟେ ଆତଙ୍କବାଦକୁ ପାକିସ୍ତାନର ପ୍ରୋତ୍ସାହନ ଉପରେ ନଜର ରଖାଯିବ ବୋଲି ହାରିସ କହିଛନ୍ତି । ଶେଷକୁ ହାରିସଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଆଜି ଆମେରିକାରେ କ୍ବାଡ୍ ସମ୍ମିଳନୀ ରହିଛି । ରାଷ୍ଟ୍ରପତି ଜୋ ବିଡେନ୍‌ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି। ଦ୍ବିପାକ୍ଷିକ ପ୍ରସଙ୍ଗ ସମେତ ଆଫଗାନିସ୍ଥାନ ଓ ଆତଙ୍କବାଦ ବିରୋଧରେ ଆଲୋଚନା ହୋଇପାରେ । ଏହାପରେ ଆସନ୍ତାକାଲି ଜାତିସଂଘ ବୈଠକକୁ ସମ୍ବୋଧନ କରିବେ ମୋଦି ।