ଡ୍ରେନରୁ ମିଳିଥିବା ମୃତଦେହ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କର, କାନ୍ଦ ବୋବାଳିରେ ଫାଟି ପଡୁଛି ଘର

ଭୁବନେଶ୍ୱର, ୨୦/୯: ଏମ୍ସରେ ମୃତଦେହକୁ ଚିହ୍ନଟ କରିଛନ୍ତି ଜ୍ୟୋତିପ୍ରକାଶଙ୍କର ନିକଟ ସମ୍ପର୍କୀୟ ଲୋକ । ପଞ୍ଚସଖା ନଗର ପାଖ ଡ୍ରେନ୍ରୁ ଉଦ୍ଧାର କରାଯାଇଥିବା ମୃତଦେହ ଗତକାଲି ଭାସିଯାଇଥିବା ଜ୍ୟୋତିପ୍ରକାଶ ବେହରାଙ୍କର । ମୃତଦେହକୁ ଦେଖି ହସ୍ପିଟାଲରେ  ଅଚେତ ହୋଇପଡ଼ିଛନ୍ତି ତାଙ୍କ ମାଉସୀ । ଅନ୍ୟପଟେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ଗତକାଲି ଶତାବ୍ଦୀନଗର ନାଳରେ ଭାସି ଯାଇ ଥିଲେ ଜ୍ୟୋତିପ୍ରକାଶ । ପାଣିରେ ପଡି ମୃତଦେହଟି ଫୁଲିଯାଇଥିବାରୁ କିଛି ସ୍ପଷ୍ଟ ହୋଇପାରୁ ନଥିଲା ।

ଉଲ୍ଲେଖ ଯୋଗ୍ୟ ଯେ ରାଜଧାନୀ ଭୁବନେଶ୍ବର ସ୍ଥିତ ଶତାବ୍ଦୀନଗର ନାଳରେ ଜଣେ ଦଶମ ଶ୍ରେଣୀର ଛାତ୍ର ଭାସି ଯାଇଥିଲେ। ବର୍ଷା ପରେ ମୁକୁଳା ଡ୍ରେନର ପାଣି ସୁଅରେ ସେ ଭାସି ଯାଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ତାଙ୍କୁ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ କରିଥିଲେ । ଛାତ୍ର ଜଣକ ହେଲେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା। ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ଘରୁ ବାହାରି ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ।