ଡ୍ରେନରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ!

ଭୁବନେଶ୍ୱର, ୨୦/୯: ଭୁବନେଶ୍ୱର ସ୍ଥିତ ପଞ୍ଚସଖା ନଗର ପାଖ ଡ୍ରେନ୍ ରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଗତକାଲି ଶତାବ୍ଦୀନଗର ନାଳରେ ଭାସି ଯାଇଥିବା ଦଶମ ଶ୍ରେଣୀର ଛାତ୍ରଙ୍କ ସେହି ମୃତଦେହ ହୋଇଥିବା ଅନୁମାନ କାରଯାଉଛି । ନିଖୋଜ ଥିବା ଜ୍ୟୋତିପ୍ରକାଶ ବେହେରା ସହ ମୃତଦେହ ଅନେକ କିଛି ସମାନତା ରହିଛି । ପାଣିରେ ପଡି ମୃତଦେହଟି ଫୁଲିଯାଇଥିବାରୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରୁ ନାହିଁ । ଅନ୍ୟପଟେ ମୃତଦେହ ଚିହ୍ନଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ପରେ ଏମସ୍ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଉଲ୍ଲେଖ ଯୋଗ୍ୟ ଯେ ରାଜଧାନୀ ଭୁବନେଶ୍ବର ସ୍ଥିତ ଶତାବ୍ଦୀନଗର ନାଳରେ ଜଣେ ଦଶମ ଶ୍ରେଣୀର ଛାତ୍ର ଭାସି ଯାଇଥିଲେ। କିନ୍ତୁ ୧୮ ଘଣ୍ଟା ପରେ ବି ନାବାଳକର ଏପର୍ଯ୍ୟନ୍ତ ବି ପତ୍ତା ମିଳିପାରି ନାହିଁ । ଗତକାଲି ଦିନ ଅଢ଼େଇଟା ବେଳେ ଏହି ଅଘଟଣ ଘଟିଥିଲା। ବର୍ଷା ପରେ ମୁକୁଳା ଡ୍ରେନର ପାଣି ସୁଅରେ ସେ ଭାସି ଯାଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ତାଙ୍କୁ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ କରିଥିଲେ । ଛାତ୍ର ଜଣକ ହେଲେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା। ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ଘରୁ ବାହାରି ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ।