ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର, ୩୧/୮ : ଆସନ୍ତାକାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏଥର ଅଧିବେଶନ ବେଶ୍ ସରଗରମ ହେବାର ସମ୍ଭାବନା ରହିଛି । ଅଧିବେଶନରେ ନୂଆ ନୂଆ ପ୍ରସଙ୍ଗ ଉଠିପାରେ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ସେହିପରି ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଅଧିବେଶନ ପୂର୍ବରୁ ଆଜି ବିଜେପି, କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ବସିବ । ଅନ୍ୟପଟେ ଏଥିପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚଳିତ ଅଧିବେଶରେ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି । ଏହା ଛଡା ୧୦୦ ଅଫିସ୍‌ର ମଧ୍ୟ ମୁତୟନ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥା କେମିତି ରହିଛି ତାହା ଦେଖିବାକୁ ଆଜି ଡିଜିପି ଅଭୟ ବିଧାନସଭା ବାହାରେ ଓ ଭିତରେ ଯାଞ୍ଚ କରିବେ ବୋଲି ସୂଚନା ରହିଛି । ୨ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୦ଜଣ ଆଇଆଇସି ଓ ୬୧ ଜଣ ଏସଆଇଙ୍କ ସମେତ ୮୦ ଜଣ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଏହା ଛଡ଼ା ସାଦା ପୋଷାକଧାରୀ ପୁଲିସ, ରୁଫଟପ୍‌ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ହେବେ ।