ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସେବାୟତଙ୍କୁ ମାଗଣାରେ ମିଳିବ ଘର

ପୁରୀ, ୨୬/୮: ଆଜି ନିଳାଦ୍ରୀ ଭକ୍ତ ନିବାସରେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ବୈଠକରେ ୪ଟି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା କ୍ରିଷନ କୁମାର।

ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ  ଶ୍ରୀମନ୍ଦିର ଗୁରୁକୂଳ। ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧିନରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସୋସାଇଟି ଗଠନ କରାଯିବ, ଯାହାର ଅଧ୍ୟକ୍ଷ ରହିବେ ଗଜପତି ମହାରାଜା। ଅନ୍ୟପଟେ ଗୁରୁକୂଳ ନିର୍ମାଣ ପାଇଁ ମାଟିତୋଟାରେ ୧୭ ଏକର ଜମି ଚିହ୍ନଟ ହୋଇଛି। ଆଦର୍ଶ ଗୁରୁକୂଳ ପାଇଁ ରାଜ୍ୟ ସରକାର ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ରହିଛି।

ସେହିପରି ଶ୍ରୀମନ୍ଦିର  ସେବାୟତଙ୍କ ପାଇଁ ମାଗଣାରେ ଘର ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪୦୦ ପରିବାରକୁ ଘର ପାଇଁ ୬ ଶହ ବର୍ଗଫୁଟ୍ ହିସାବରେ ଜମି ଦିଆଯିବ। ଘର ତିଆରି କରିବାକୁ ୨ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ। ବାସଗୃହ ଯୋଜନା ପାଇଁ ୮ ଏକର ଜମିରେ ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସ୍ଆଇକୁ ଅନୁରୋଧ କରିବ। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତାହା ଯୋଗାଇ ଦେବେ।

ସେହିପରି ରଥ କାଠ ନିଲାମ ନେଇ ପୂର୍ବରୁ ଥିବା ନିୟମରେ ପରିବର୍ତ୍ତନ ହୋଇଛି। ଏଣିକି ଆଗକୁ ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ମାଗଣାରେ ରଥଚକ ଦିଆଯିବ।

ଏହାସହ ଅଧିକ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଯଦି ଆଗ୍ରହ ପ୍ରକାଶ କରନ୍ତି ତେବେ ଲଟେରୀ ମାଧ୍ୟମରେ ଚୂଡାନ୍ତ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଆଜି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ଼ଃ କନୱର ଵିଶାଲ ସିଂହଙ୍କ ସମେତ ଅନ୍ୟ ନବ ନିଯୁକ୍ତ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।