ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଚେୟାରମ୍ୟାନ୍ ନବୀନ ଜିନ୍ଦଲ

ଭୁବନେଶ୍ୱର, ୨୨/୮: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ୨୧ ତାରିଖ ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟିଛନ୍ତି । ଏହାପରେ ତାଙ୍କ ସହ ଏକ ବୈଠକରେ ଅନୁଗୁଳ ଇସ୍ପାତ କାରଖାନାର ୨୫.୨ MTPA କୁ ବିସ୍ତାର କରିବାକୁ ଅନୁମୋଦନ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନବୀନ ଜିନ୍ଦଲ ଓଡିଶା ଇସ୍ପାତ ଏବଂ ଖଣି ସଚିବ ଦେଓରଂଜନ କୁମାର ସିଂହଙ୍କ ସହ ମଧ୍ୟ ଏକ ବୈଠକ କରିଥିଲେ। ସେହି ବୈଠକରେ ଜିନ୍ଦଲ ୨୦୩୦ ସୁଦ୍ଧା ଅନୁଗୁଳ ଇସ୍ପାତ କାରଖାନାର କ୍ଷମତାକୁ ୬ MTPA ରୁ ୨୫.୨ MTPA କୁ ବୃଦ୍ଧି କରିବାକୁ JSPL ର ଯୋଜନା ରହିଥିବା କଥା କହିଛନ୍ତି ।ଯାହା ବର୍ତ୍ତମାନର କ୍ଷମତା ଅନୁଯାୟୀ ଗୋଟିଏ ସ୍ଥାନରେ ବିଶ୍ୱର ସର୍ବବୃହତ କାରଖାନା ହେବ ବୋଲି ସେ କହିଛନ୍ତି । ଏହି ବୈଠକରେ ଜିନ୍ଦଲଙ୍କ ସହ ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଭି.ଆର ଶର୍ମା, ଏନ.କେ ମିଶ୍ର, ମନୀଷ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ରାଜ୍ୟ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ଜେଏସପିଏଲର ଅନୁଗୁଳ ଷ୍ଟିଲ ପ୍ଲାଣ୍ଟର ପ୍ରସ୍ତାବିତ ସମ୍ପ୍ରସାରଣକୁ ଅନୁମୋଦନ କରିଛି। ଆଗାମୀ ନିଲାମରେ ଅଂଶଗ୍ରହଣ ବିଷୟରେ ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଭି.ଆର ଶର୍ମା କହିଛନ୍ତି ଯେ ଓଡିଶାରେ ଲୌହ ଖଣି ଖଣିର ନିଲାମରେ JSPL ଅଂଶଗ୍ରହଣ କରିବ। ବର୍ତ୍ତମାନ, JSPL ହେଉଛି ଲୁହା ଏବଂ ଇସ୍ପାତ କ୍ଷେତ୍ରର ୪୫୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସହିତ ରାଜ୍ୟର ସବୁଠାରୁ ବଡ ନିବେଶକ ରହିଛି |