ଶିଳ୍ପପତି ତାରା ପଟ୍ଟନାୟକ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି

ଭୁବନେଶ୍ୱର, ୧୯ା୮: ଫାଲକନ ଗ୍ରୁପ ଅଫ୍ କମ୍ପାନୀର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ଗତକାଲି ସକାଳେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ହୃଦରୋଗ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ ଏବେ ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି । ଆପୋଲୋ ହସ୍ପିଟାଲ ହୃଦରୋଗ ବିଭାଗର ବରିଷ୍ଠ ଚିକିତ୍ସକ ଡାକ୍ତର ବ୍ରଜ ଦାସ ଚିକିତ୍ସା କରୁଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସ୍ଥିରତା ପରିଲକ୍ଷିତ ହୋଇଛି । ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ତେବେ ଏହି ସମ୍ପର୍କରେ ତାରା ପଟ୍ଟନାୟକଙ୍କ ପୁଅ ପାର୍ଥଜିତ କହିଛନ୍ତି ଯେ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ତ୍ୱରିତ ପଦକ୍ଷେପ ଓ ଉକ୍ରୃଷ୍ଟ ଚିକିତ୍ସା ପଦ୍ଧତିକୁ ସେ ପ୍ରଶଂସା କରିବା ସହ ତାଙ୍କ ପିତାଙ୍କ ଆଶୁ ଆରୋଗ୍ୟ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।