ନିୟମରେ ହେଳା କଲେ ପୁଣି ଫେରିବ ଲକଡାଉନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪/୮: କୋଭିଡ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି କହି ସେ ସତର୍କ କରାଇ ଦେଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍‌ଲକ୍‌ ପରେ କେତେକ ମାର୍କେଟରେ ଵହୁତ ଭିଡ ହେଉଛି । ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହାଦ୍ବାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ । ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ। ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍‌ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସମ୍ପୂର୍ଣ୍ଣ ଲକ ଡା ଉନ ଜାରି ହେବ। କରୋନା ଭାଇରସ୍‌ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛି । ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ଲହରରେ ଆମେ ଦେଖିଲେ କରୋନା ଭାଇରସ୍ କାହାରିକୁ ଛାଡି ନାହିଁ । ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି । ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସୁରକ୍ଷା ଦେଉଛି । କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।