ବିଜୟ ପାଇଁ ଭାରତୀୟ ହକି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧/୮: ଟିଭିରେ ଟୋକିଓ ଅଲିମ୍ପିକ୍ସ ହକି ମ୍ୟାଚ୍‌ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହ  ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ ଥିଲେ । ବ୍ରିଟେନକୁ ହରାଇବାର ଦୃଶ୍ୟ ଦେଖି ସେ ଉତ୍ସାହିତ ହୋଇଛନ୍ତି । ୪୧ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ତେଣୁ ବିଜୟ ପାଇଁ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅଛି ଓଡ଼ିଶା ।

ଭାରତ ଅଲିମ୍ପିକ୍ସରେ ଶେଷ ଥର ପାଇଁ ପଦକ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ରୂପରେ ଜିତିଥିଲା । ଏବେ ଅଗଷ୍ଟ ୩ ତାରିଖରେ ଆୟୋଜିତ ହେବାକୁ ଥିବା ସେମିଫାଇନାଲ ମ୍ୟାଚରେ ଭାରତ ବେଲଜିୟମ ସହିତ ମୁହାଁମୁହିଁ ହେବ ।

ଉଲ୍ଲେଖ ଯୋଗ୍ୟ ଯେ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଦଳ । କ୍ବାର୍ଟର ଫାଇନାଲରେ ବ୍ରିଟେନ୍‌କୁ ୩-୧ ଗୋଲରେ ହରାଇ ଭାରତ ସେମିଫାଇନାଲ୍ ରେ ପହଂଚିଛି।