ଅଗଷ୍ଟ ପାଇଁ ଆସିଲା ଗାଇଡ଼ ଲାଇନ, ଜାଣନ୍ତୁ କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର, ୩୧/୭: ଆଜି ଅଗଷ୍ଟ ମାସ ପାଇଁ ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି ସରକାର। ଅଗଷ୍ଟ ମାସରେ ରାଜ୍ୟରେ ଜାରି ରହିବ ନାଇଟ୍ କର୍ଫ୍ୟୁ। ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରହିବ। ସେହିପରି
ଭୁବନେଶ୍ୱର, କଟକ, ପୁରୀ ସହରରେ ସପ୍ତାହନ୍ତ ସଟଡାଉନ୍ ରହିବ । ଅନ୍ୟପକ୍ଷରେ ମଲ ଓ ପାର୍କ ଖୋଲିବାକୁ ଅନୁମତି ମିଳିଛି। କିିନ୍ତୁ ବର୍ତ୍ତମାନ ରାଜ୍ୟରେ ବନ୍ଦ ରହିବ ଧର୍ମାନୁଷ୍ଠାନ ।ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲି ପାରିବ।
୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ ସିନେମା ହଲ। ଏହାସହ  ହଲ, ମଲ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଦୁଇ ଡୋଜ ଟିକା ସାର୍ଟିଫିକେଟ ଜରୁରୀ ବୋଲି ସୂଚନା ରହିଛି।
ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ରାଜ୍ୟରେ କୋଭିଡ କଟକଣା ସହ ଖୋଲିବ ସବୁ ଆହାର କେନ୍ଦ୍ର । ଆହାର କେନ୍ଦ୍ରରେ ବସି ଖାଇପାରିବେ ଲୋକେ। ପୂର୍ଣ୍ଣ କ୍ଷମତାରେ ରାଜ୍ୟ ଭିତରେ ଚାଲିପାରିବ ବସ୍ କିନ୍ତୁ ବସ୍‌ ଭିତରେ ଯାତ୍ରୀ ଛିଡ଼ା ହୋଇ ଯାଇ ପାରିବେ ନାହିଁ । ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପୂର୍ବଭଳି କଟକଣା ଜାରି ରହିବ। ଅଟୋ ଓ ଟ୍ୟାକ୍ସି ପୂର୍ଣ୍ଣ କ୍ଷମତାର ଯାତ୍ରୀ ପରିବହନ କରିପାରିବେ ।

ସେହିପରି ଜିଲ୍ଲାରେ ଧାର୍ମିକ ପୀଠ ଖୋଲିବା ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯାଇପାରେ କିନ୍ତୁ ମନ୍ଦିର ଖୋଲିବା ଆଗରୁ କମିଟି ସହ ଆଲୋଚନା ହେବ। ମନ୍ଦିର ଖୋଲିଲେ ମଧ୍ୟ ଭୋଗ କରିବା ଓ ଭୋଗ ଖାଇବାକୁ ଅନୁମତି ନାହିଁ।