ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ହେବା ପରେ କଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ?

ପୁରୀ, ୨୨/୭: ଗତକାଲି ସୁନାବେଶ ପରେ ଆଜି ମହାପ୍ରଭୁଙ୍କ ଅଧରପଣା ନୀତି । ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ହୋଇଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତଙ୍କ ସମାଗମରେ ଅଧରପଣା ନୀତି ସମ୍ପର୍ଣ୍ଣ ହୋଇଛି । ଏହି ନୀତି ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ଡଃ କ୍ରିଷନ କୁମାର କହିଛନ୍ତି ଯେ ସମସ୍ତଙ୍କ ସହଯୋଗରେ ଭଲରେ ଏହି ନୀତି ସମ୍ପର୍ଣ୍ଣ ହୋଇଛି । ସେହିପରି ଆସନ୍ତାକାଲି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ରହିଛି ।ସେନେଇ ପ୍ରସାଶନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ  ଅଛି ବୋଲି ସେ କହିଛନ୍ତି । ଆସନ୍ତା କାଲି ଶ୍ରୀଜୀଉଙ୍କ ଠିକ ସମୟରେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇପାରିବ ସେନେଇ ଯୋଜନା ଚାଲିଛି । ଏହା ସତ୍ୱେ ଯେପରି ରଥଯାତ୍ରା ଠାରୁ ଆରମ୍ଭ କରି ସମସ୍ତ ନୀତି ସମସ୍ତ ସହଯୋଗରେ ଶେଷ ହୋଇଛି ସେପରି ଆସନ୍ତାକାଲି ମଧ୍ୟ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସୁରୁଖୁରୁରେ ହେବ ବୋଲି ସେ କହିଛନ୍ତି । ଆସନ୍ତାକାଲି ଅପରାହ୍ନ ୪ଟାରେ ଶ୍ରୀଜୀଉଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି ।

ସୂଚନା ଯୋଗ୍ୟ ଯେ ରାଘବ ଦାସ ଓ ବଡ଼ ଓଡିଆ ମଠ ପକ୍ଷରୁ ଅଧର ହାଣ୍ଡି ପ୍ରସ୍ତୁତ ହୋଇ ମଧ୍ୟାହ୍ନ ଧୂପ ପରେ ନୀତି ବଢି ଅଧର ପଣା ଭୋଗ ହୋଇଥିଲା । ଏହାପରେ ହାଣ୍ଡି ଭଙ୍ଗା ଯିବାର ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁସାରେ ପ୍ରତି ରଥରେ ତିନିଟି ଅଧର ଚୁମ୍ବିତ ହାଣ୍ଡି ରଥ ଉପରେ ଶ୍ରୀଜୀଉଙ୍କ ସାମ୍ନାରେ ରଖାଯାଇଥିଲା । ସେଥିରେ କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶିରି, କର୍ପୁର ଏଭଳି ଅନେକ ଦ୍ରବ୍ୟ ପଡ଼ି ପ୍ରସ୍ତୁତ ହୋଇଥିଲା ଅଧର ପଣା । ସୁଆର ସେବାୟତ ଏହି ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ସାମନ୍ତ ଲାଗି କରିଥିଲେ । ରଥରୂଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ । ତେବେ ଏହି ଅଧରପଣା ରଥ ସହ ଯାଇଥିବା ଅଶରୀରୀ ଓ ପାଶ୍ୱର୍ ଦେବାଦେବୀଙ୍କୁ ଦିଆଯାଇଥାଏ । ଅଧରପଣା ନୀତି ସମାପନ ପରେ ଆସନ୍ତାକାଲି ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ ଓ ରତ୍ନ ଦେବୀକୁ ଫେରିବେ ଠାକୁର ।