ରହସ୍ୟ ଘେରରେ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା, ମିଳିଲା ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲେଖା ଚିଠି

ପାରଳାଖେମୁଣ୍ଡି, ୨୨/୭: ଦିନକୁ ଦିନ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ରହସ୍ୟମୟ ହେବାରେ ଲାଗିଛି । ତାଙ୍କ ମୃତ୍ୟୁ ମାମଲାରେ ଥିବା ରହସ୍ୟ ଉପରୁ ପର୍ଦା ହଟାଇବା ପାଇଁ ପୋଲିସ ତଦନ୍ତ ଜୋରଦାର ଜାରି ରଖିଛି । ଏହାରିମଧ୍ୟରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଦ୍ୱିତୀୟ ହାତ ଲେଖା ଚିଠି ଆଜି ମିଳିଛି । ନିଜ ସମ୍ପର୍କକୁ ନେଇ ଜମାରୁ ସନ୍ତୁଷ୍ଟ ନଥିବା ଜଣାପଡିଛି । ଏହାସହ ସେ ଚିଠିରେ କ୍ରୋଧ ସହ ଘୃଣା ଭାବ ପ୍ରକାଶ ମଧ୍ୟ କରିଛନ୍ତି । ଶତ୍ରୁକୁ ବି ଏମିତି ଲୋକ ନମିଳନ୍ତୁ ବୋଲି ଭଗବାନଙ୍କୁ ଅନୁରୋଧ କରିଥିବା ସେ ଚିଠିରେ ଲେଖା ଅଛି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ହେ ଭଗବାନ କିଛି ବି କରିକି ଡିଭୋର୍ସ କରେଇ ଦିଅନ୍ତୁ, ମୁଁ ବଂଚିଥିବା ଯାଏଁ ଋଣୀ ହୋଇ ରହିବି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ବିଦ୍ୟାଙ୍କ ପ୍ରଥମ ଚିଠି ମିଳିଥିଲା । ଏଥିରେ ସେ ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ବଡ ଭୁଲ ନିଷ୍ପତ୍ତି ଥିଲା ବୋଲି ଲେଖିଛନ୍ତି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନକୁ ନଷ୍ଟ କରିଦିଏ ତାହା ଲେଖିଥିଲେ । ସମସ୍ତ ଭୁଲ ପାଇଁ ଭଗବାନ କ୍ଷମା କର ଓ ଦୟାକରି ମୋ ଜୀବନ ନଷ୍ଟ କରିନାହିଁ ବୋଲି ମଧ୍ୟ ଚିଠିରେ ଲେଖିଥିଲେ ।

 

ଅନ୍ୟପଟେ ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ ଥିବା କଥା ଜଣାପଡିଛି । ୨୦୧୯ ଅକ୍ଟୋବର ୧୬ ତାରିଖରେ ବିଦ୍ୟାଭାରତୀ ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ ତାଲିମ୍‌ କେନ୍ଦ୍ରରେ ଆଡମିଶନ୍‌ କରିଥିଲେ। ସେ ଇନ୍‌ଷ୍ଟିଚ୍ୟୁଟ୍‌ ହଷ୍ଟେଲର ରୁମ୍‌ ନମ୍ବର ୧ରେ ରହୁଥିଲେ। ମହାମାରୀ କରୋନା ପାଇଁ ସେ ୨୦୨୦ ମାର୍ଚ୍ଚ ୧୮ ତାରିଖରେ ହଷ୍ଟେଲ ଛାଡ଼ିଥିଲେ। ପରେ ୨୦୨୦ ଡିସେମ୍ବର ୧ ତାରିଖରେ ସେ ସୌମ୍ୟରଞ୍ଜନଙ୍କୁ ବିବାହ ହୋଇଥିଲେ। ବାହାଘର ପରେ ଚଳିତବର୍ଷ ଏପ୍ରିଲ ୩ ତାରିଖରେ ବିଦ୍ୟାଭାରତୀ ପରୀକ୍ଷା ଦେବା ପାଇଁ ବଲାଙ୍ଗିର ଯାଇଥିଲେ। ଏପ୍ରିଲ୍ ୧୩ ତାରିଖ ପର୍ଯ୍ୟନ୍ତ ସେ ସେଠାରେ ରହିଥିଲେ। ଏହା ପୂର୍ବରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କ ଅନୁମତି ନେଇ ସେ ଏକ ଭୋଜି ଆୟୋଜନ କରିଥିଲେ। ଭୋଜିରେ ଚିକେନ୍‌ ଓ ମଟନ ହୋଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ ପାରଳାଖେମୁଣ୍ଡିରେ ସରକାରୀ କ୍ୱାର୍ଟର୍ସରେ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ରହୁଥିଲେ। ୧୨ ତାରିଖ ରାତି ପ୍ରାୟ ୯ଟା ହେବ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଯାଇ ୮୦ ପ୍ରତିଶତ ପୋଡ଼ିଯାଇଥିଲା । ତାଙ୍କ ସ୍ୱାମୀ ପୋଡିଯିବାର ଦେଖି ବିଦ୍ୟାଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ତାଙ୍କୁ କଟକରେ ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ତଦନ୍ତ ଜାରି ରହିଛି ।

ଅନ୍ୟପଟେ କ୍ରାଇମସିନରେ ପହଂଚି ଛାନଭିନ ଆରମ୍ଭ କରିଛନ୍ତି ପାରଳାଖମୁଣ୍ଡି ପୋଲିସ ଓ କ୍ରାଇମବ୍ରାଂଚ ଟିମ୍ । ଘର ଭିତରେ ମତ୍ୟୁ ମାମଲାରେ କ୍ରାଇମସିନ୍ ବୁଲି ଦେଖିଛି କ୍ରାଇମବ୍ରାଂଚ । । ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ସରକାରୀ କ୍ୱାର୍ଟରକୁ ଯାଇ ତଦନ୍ତ କରିଛି କ୍ରାଇମବ୍ରାଂଚ ଟିମ୍ । ଯେଉଁ ସ୍ଥାନରେ ପୋଡିହୋଇ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା, ସେହିଠାରେ ପୋଲିସ ଉପସ୍ଥିତିରେ କ୍ରାଇମସିନ କରାଯିବ । ଏହାଛଡା ଡିଏଫଓ ଏବଂ ଗୁରାଣ୍ଡି ଥାନାର ମହିଳା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରାଯିବ ।

ଉଭୟ ଡିଏଫଓ ଏବଂ ମମତା ପଣ୍ଡାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ସନ୍ଦେହ ପ୍ରକାଶ କରିଥିବାରୁ ପୋଲିସ ଓ କ୍ରାଇମବ୍ରାଂଚ ମିଳିତ ଭାବେ ପଚରା ଉଚୁରା କରିବେ ବୋଲି ଜଣାପଡିଛି । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଡିଏଫଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ସେହିପରି ଘଟଣାଦିନ ଗୁରୁତର ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇବାରେ ମମତା ପଣ୍ଡାଙ୍କ ଭୂମିକା ରହିଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା ।