ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଥିଲେ ଖାଆନ୍ତୁ ଏହି ଖାଦ୍ୟ

ଏବେ ମହାମାରୀ କରୋନା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ନିହାତି ଆବଶ୍ୟକ । କାରଣ ଏହା ନ ଥିଲେ ଅତି ସହଜରେ ଭୂତାଣୁ ଆମକୁ ସଂକ୍ରମିତ କରିପାରିବ ଓ ଆମ ଶରୀର ବହୁ କ୍ଷତି ଘଟିବ । ତେବେ ଏପରି କିଛି ଖାଦ୍ୟ ଅଛି, ଯାହାକୁ ଖାଇଲେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢି ପାରିବ ।

ସାଧାରଣତଃ ଡାକ୍ତର ମାନେ ରୋଗୀଙ୍କୁ ଖଟା ଫଳ ଖାଇବାକୁ କହିଥାନ୍ତି କାରଣ ଖଟା ଫଳରେ ଭିଟାମିନ-ସି ଭରପୁର ରହିଥାଏ। ଯେପରି କମଳା, ଅଙ୍ଗୁର, ଲେମ୍ବୁ ଆଦିରେ ଭିଟାମିନ-ସି ପ୍ରଚୁର ମାତ୍ରାରେ ରହିଥିବାରୁ ନିୟମିତ ଭାବେ ଏହି ସବୁ ଫଳ ଆମ ଖାଦ୍ୟରେ ସାମିଲ କରିବା ଉଚିତ୍। ଯାହା ଫଳରେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

ସେହିପରି ନାଲି କ୍ୟାପସିକମରେ ଅଧିକ ଭିଟାମିନ୍-ସି ରହିଥାଏ। ଏହାସହ ଏଥିରେ ପ୍ରଚୁର ପରିମାଣରେ ବେଟା କେରାଟିନ୍ ମଧ୍ୟ ରହିଛି । ଯାହା ଚକ୍ଷୁ ଜନିତ ଓ ତ୍ୱଚା ଜନିତ ସମସ୍ୟାର ମଧ୍ୟ ସମାଧାନ କରିଥାଏ।

ବ୍ରୋକଲି ଦେଖିବାକୁ ଯେମିତି ସବୁଜ ଓ ସୁନ୍ଦର ସେହିପରି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍- ଏ, ସି ଏବଂ ଇ ସମେତ ଭରପୂର ଆଣ୍ଟି ଅକ୍ସିଡେଣ୍ଟ ଏବଂ ଫାଇବର ମଧ୍ୟ ରହିଛି। ପନିପରିବା ମଧ୍ୟରେ ସବୁଠାରୁ ସ୍ୱାସ୍ଥ୍ୟପୋଯୋଗୀ ପରିବା ହେଉଛି ବ୍ରୋକଲି, ଯେଉଁଥିରେ ବହୁ ମାତ୍ରାରେ ପ୍ରୋଟିନ୍, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମହଜୁଦ ରହିଛି।

ଅଦାରେ ଅନେକ ପ୍ରକାର ଆଣ୍ଟି ଭାଇରାଲ ଗୁଣବତ୍ତା ରହିଛି। ଏଣୁ ନିୟମିତ ଭାବେ ଅଦାକୁ ନିଜ ଖାଦ୍ୟ ତଥା ପାନୀୟରେ ସାମିଲ କରିବା ଉଚିତ। ତେବେ ପାନମଧୁରୀ ବା ମହୁ ସହ ଏହା ମିଶାଇ ଖାଇଲେ ଅଧିକ ଫଳପ୍ରଦ ପରିଣାମ ମିଳିଥାଏ। ଦିନରେ 4-5 ଥର ଅଦା ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ଅଦା ଭଳି ରସୁଣରେ ମଧ୍ୟ ପ୍ରଚୁର ମାତ୍ରାରେ ଆଣ୍ଟି ଭାଇରାଲ ଗୁଣବତ୍ତା ରହିଛି। ଆପଣ ସୁପ୍, ସାଲାଡ୍ ଅଥବା ତରକାରୀରେ ଏହାକୁ ଖାଇପାରିବେ। ଏହାଛଡ଼ା ରସୁଣକୁ ଲୋକେ କଞ୍ଚା ଖାଇବା ମଧ୍ୟ ପସନ୍ଦ କରିଥାନ୍ତି। ତେବେ ଗୋଟିଏ ଚାମଚ ମହୁ ସାଙ୍ଗେ ରସୁଣ ମିଶାଇ ଖାଇଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ସାହାଯ୍ୟ କରେ।

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସବୁଠାରୁ ଉପଯୋଗୀ ହେଉଛି ତୁଳସୀ। ପ୍ରତିଦିନ ସକାଳେ ତୁଳସୀ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। 3-4ଟି ଗୋଲମରିଚ, ଗୋଟିଏ ଚାମଚ ମହୁ ଏବଂ ତୁଳସୀ ନିୟମିତ ସେବନ କଲେ ଭୂତାଣୁ ସହ ଲଢ଼ିବାକୁ ଆପଣଙ୍କ ଶରୀର ଶକ୍ତି ପାଇ ପାରିବ। ଏଣୁ ନିୟମିତ ତୁଳସୀ ଖାଆନ୍ତୁ।